English Bible Languages

Indian Language Bible Word Collections

Bible Versions

English

Tamil

Hebrew

Greek

Malayalam

Hindi

Telugu

Kannada

Gujarati

Punjabi

Urdu

Bengali

Oriya

Marathi

Assamese

Books

Psalms Chapters

Psalms 90 Verses

1 ପରମେଶ୍ଵରଙ୍କ ଲୋକ ମୋଶାଙ୍କର ପ୍ରାର୍ଥନା । ହେ ପ୍ରଭୋ, ତୁମ୍ଭେ ପୁରୁଷାନୁକ୍ରମରେ ଆମ୍ଭମାନଙ୍କର ବାସସ୍ଥାନ ହୋଇ ଆସିଅଛ ।
2 ପର୍ବତଗଣର ଉତ୍ପତ୍ତିର ଓ ତୁମ୍ଭ ଦ୍ଵାରା ପୃଥିବୀ ଓ ଜଗତର ସୃଷ୍ଟିର ପୂର୍ବଠାରୁ ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ତୁମ୍ଭେ ପରମେଶ୍ଵର ଅଟ ।
3 ତୁମ୍ଭେ ମର୍ତ୍ତ୍ୟକୁ ଧୂଳିରେ ଲୀନ କରୁଅଛ । ପୁଣି କହୁଅଛ, ହେ ମନୁଷ୍ୟ-ସନ୍ତାନଗଣ, ଫେର ।
4 କାରଣ ତୁମ୍ଭ ଦୃଷ୍ଟିରେ ସହସ୍ର ବର୍ଷ ଗତ କାଲିର ତୁଲ୍ୟ ଓ ରାତ୍ରିର ଏକ ପ୍ରହରର ସମାନ ।
5 ଯେପରି ପ୍ଲାବନରେ, ସେପରି ତୁମ୍ଭେ ସେମାନଙ୍କୁ ଭସାଇ ନେଉଅଛ; ସେମାନେ ସ୍ଵପ୍ନ ତୁଲ୍ୟ । ପ୍ରାତଃକାଳରେ ସେମାନେ ବଢ଼ନ୍ତା ତୃଣ ତୁଲ୍ୟ ।
6 ପ୍ରାତଃକାଳରେ ତାହା ସତେଜ ହୋଇ ବଢ଼ଇ; ସନ୍ଧ୍ୟାକାଳରେ ତାହା କଟା ଯାଇ ଶୁଖଇ ।
7 କାରଣ ତୁମ୍ଭ କ୍ରୋଧରେ ଆମ୍ଭେମାନେ କ୍ଷୟ ପାଉ, ପୁଣି ତୁମ୍ଭ କୋପରେ ଆମ୍ଭେମାନେ ବ୍ୟସ୍ତ ହେଉ ।
8 ତୁମ୍ଭେ ଆମ୍ଭମାନଙ୍କ ଅପରାଧ ଆପଣା ସମ୍ମୁଖରେ, ଆମ୍ଭମାନଙ୍କ ଗୁପ୍ତ ପାପ ଆପଣା ମୁଖର ଦୀପ୍ତିରେ ରଖିଅଛ ।
9 କାରଣ ଆମ୍ଭମାନଙ୍କର ସକଳ ଦିନ ତୁମ୍ଭ କୋପରେ ବହିଯାଏ; କଥିତ କାହାଣୀ ପରି ଆମ୍ଭେମାନେ ଆପଣା ଆପଣା ବର୍ଷ ସମାପ୍ତ କରୁଥାଉ ।
10 ଆମ୍ଭମାନଙ୍କ ଆୟୁର ପରିମାଣ ସତୁରି ବର୍ଷ, ଅବା ବଳ ସକାଶୁ ଅଶୀ ବର୍ଷ ହୁଏ; ତଥାପି ତହିଁର ଗର୍ବ ଓ ପରିଶ୍ରମ ଦୁଃଖମାତ୍ର; କାରଣ ତାହା ଶୀଘ୍ର ବହିଯାଏ ଓ ଆମ୍ଭେମାନେ ଉଡ଼ିଯାଉ ।
11 ତୁମ୍ଭ କ୍ରୋଧର ପ୍ରବଳତା ଓ ତୁମ୍ଭ ପ୍ରତି ଉପଯୁକ୍ତ ଭୟ ପ୍ରମାଣେ ତୁମ୍ଭର କୋପ କିଏ ବୁଝେ?
12 ଯେପରି ଆମ୍ଭେମାନେ ଜ୍ଞାନବିଶିଷ୍ଟ ଅନ୍ତଃକରଣ ପାଇ ପାରିବୁ, ଏଥିପାଇଁ ଆମ୍ଭମାନଙ୍କୁ ଆପଣା ଆପଣା ଦିନର ଗଣନା କରିବାକୁ ଶିକ୍ଷା ଦିଅ ।
13 ହେ ସଦାପ୍ରଭୋ, ଫେର; କେତେ କାଳ? ଆପଣା ଦାସମାନଙ୍କ ପ୍ରତି ପ୍ରସନ୍ନ ହୁଅ ।
14 ପ୍ରଭାତରେ ଆମ୍ଭମାନଙ୍କୁ ତୁମ୍ଭ ଦୟାରେ ତୃପ୍ତ କର; ତହିଁରେ ଆମ୍ଭେମାନେ ଯାବଜ୍ଜୀବନ ହୃଷ୍ଟ ଓ ଆନନ୍ଦିତ ହେବା ।
15 ଯେତେ ଦିନ ଆମ୍ଭମାନଙ୍କୁ ଦୁଃଖ ଦେଇଅଛ ଓ ଯେତେ ବର୍ଷ ଆମ୍ଭେମାନେ ଅମଙ୍ଗଳ ଦେଖିଅଛୁ, ତଦନୁସାରେ ଆମ୍ଭମାନଙ୍କୁ ଆନନ୍ଦିତ କର ।
16 ତୁମ୍ଭ ଦାସଗଣ ପ୍ରତି ତୁମ୍ଭର କର୍ମ ଓ ସେମାନଙ୍କ ସନ୍ତାନଗଣ ପ୍ରତି ତୁମ୍ଭର ମହିମା ପ୍ରକାଶିତ ହେଉ ।
17 ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କର ସୌନ୍ଦର୍ଯ୍ୟ ଆମ୍ଭମାନଙ୍କ ଉପରେ ଅଧିଷ୍ଠାନ କରୁ; ଆଉ, ତୁମ୍ଭେ ଆମ୍ଭମାନଙ୍କ ହସ୍ତକୃତ କର୍ମ ଆମ୍ଭମାନଙ୍କ ପକ୍ଷରେ ସ୍ଥାୟୀ କର; ହଁ, ଆମ୍ଭମାନଙ୍କର ହସ୍ତକୃତ କର୍ମ ତୁମ୍ଭେ ସ୍ଥାୟୀ କର ।
×

Alert

×