English Bible Languages

Indian Language Bible Word Collections

Bible Versions

English

Tamil

Hebrew

Greek

Malayalam

Hindi

Telugu

Kannada

Gujarati

Punjabi

Urdu

Bengali

Oriya

Marathi

Assamese

Books

Deuteronomy Chapters

Deuteronomy 24 Verses

1 କୌଣସି ପୁରୁଷ କୌଣସି ସ୍ତ୍ରୀକି ବିବାହ କରି ଗ୍ରହଣ କଲା ଉତ୍ତାରେ ଯେବେ ସେ ତାହାଠାରେ କୌଣସି ଲଜ୍ଜାକର ବିଷୟ ପାଇବାରୁ ସେହି ସ୍ତ୍ରୀ ତାହା ଦୃଷ୍ଟିରେ ଅନୁଗ୍ରହ ନ ପାଏ, ତେବେ ସେ ପୁରୁଷ ତାହା ନିମନ୍ତେ ଏକ ଛାଡ଼ପତ୍ର ଲେଖି ତାହା ହସ୍ତରେ ଦେଇ ଆପଣା ଗୃହରୁ ତାହାକୁ ବିଦାୟ କରିବ ।
2 ପୁଣି ସେ ସ୍ତ୍ରୀ ତାହାର ଗୃହରୁ ବାହାରି ଗଲା ଉତ୍ତାରେ, ସେ ଯାଇ ଅନ୍ୟ ପୁରୁଷର ଭାର୍ଯ୍ୟା ହୋଇ ପାରିବ ।
3 ମାତ୍ର ସେହି ଶେଷ ସ୍ଵାମୀ ଯେବେ ତାହାକୁ ଘୃଣା କରେ ଓ ଏକ ଛାଡ଼ପତ୍ର ଲେଖି ତାହାର ହସ୍ତରେ ଦେଇ ତାହାକୁ ଆପଣା ଗୃହରୁ ବିଦାୟ କରିଦିଏ; ଅବା ଯେ ତାହାକୁ ଭାର୍ଯ୍ୟା ରୂପେ ଗ୍ରହଣ କରିଥିଲା, ସେହି ଶେଷ ସ୍ଵାମୀ ଯେବେ ମରେ;
4 ତେବେ ସେ କଳଙ୍କିତା ହେଲା ଉତ୍ତାରେ ତାହାର ପ୍ରଥମ ସ୍ଵାମୀ, ଯେ ତାହାକୁ ବିଦାୟ ଦେଇଥିଲା, ତାହାକୁ ପୁନର୍ବାର ବିବାହ କରି ପାରିବ ନାହିଁ; କାରଣ ତାହା ସଦାପ୍ରଭୁଙ୍କ ସମ୍ମୁଖରେ ଘୃଣାଯୋଗ୍ୟ; ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ଅଧିକାରାର୍ଥେ ଯେଉଁ ଦେଶ ତୁମ୍ଭକୁ ଦିଅନ୍ତି, ତୁମ୍ଭେ ତାହା ପାପରେ ଲିପ୍ତ କରିବ ନାହିଁ ।
5 କୌଣସି ବ୍ୟକ୍ତି ନୂତନ ଭାର୍ଯ୍ୟା ଗ୍ରହଣ କଲେ, ସେ ସୈନ୍ୟ ସଙ୍ଗେ ବାହାରେ ଯିବ ନାହିଁ, କିଅବା ତାହାକୁ କୌଣସି କର୍ମର ଭାର ଦିଆଯିବ ନାହିଁ; ସେ ଏକ ବର୍ଷ ପର୍ଯ୍ୟନ୍ତ ଆପଣା ଗୃହରେ ନିଷ୍କର୍ମରେ ରହି ଆପଣା ଗୃହୀତା ଭାର୍ଯ୍ୟାର ମନୋରଞ୍ଜନ କରିବ ।
6 କେହି ଚକି ବା ଚକିର ଉପର ପଟ ବନ୍ଧକ ରଖିବ ନାହିଁ; ତାହା କଲେ, ମନୁଷ୍ୟର ପ୍ରାଣ ବନ୍ଧକ ରଖିବାର ହୁଏ ।
7 କୌଣସି ମନୁଷ୍ୟ ଯେବେ ଆପଣା ଭାଇ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ କୌଣସି ପ୍ରାଣୀକି ଚୋରି କରିବାର ଧରା ପଡ଼େ, ପୁଣି ସେ ତାହାକୁ ଦାସ ପରି ବ୍ୟବହାର କରେ, ବା ତାହାକୁ ବିକି ଦିଏ; ତେବେ ସେହି ଚୋର ହତ ହେବ; ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ ।
8 କୁଷ୍ଠ ରୋଗର ଘାʼ ବିଷୟରେ ସାବଧାନ ହୁଅ, ଲେବୀୟ ଯାଜକମାନେ ତୁମ୍ଭକୁ ଯେସକଳ ଶିକ୍ଷା ଦିଅନ୍ତି, ତଦନୁସାରେ କରିବା ପାଇଁ ଯନିପୂର୍ବକ ମନୋଯୋଗ କର । ଆମ୍ଭେ ସେମାନଙ୍କୁ ଯେରୂପ ଆଜ୍ଞା ଦେଇଅଛୁ, ସେରୂପ କରିବାକୁ ତୁମ୍ଭେମାନେ ମନୋଯୋଗ କରିବ ।
9 ତୁମ୍ଭେମାନେ ମିସରରୁ ବାହାର ହୋଇ ଆସିବା ବେଳେ ପଥ ମଧ୍ୟରେ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ମରୀୟମ ପ୍ରତି ଯାହା କରିଥିଲେ, ତାହା ସ୍ମରଣ କର ।
10 ତୁମ୍ଭେ ଆପଣା ପ୍ରତିବାସୀକି କୌଣସି ପ୍ରକାର ଋଣ ଦେଲେ, ତାହାର ବନ୍ଧକି ଦ୍ରବ୍ୟ ଆଣିବା ପାଇଁ ତୁମ୍ଭେ ତାହା ଘର ଭିତରକୁ ଯିବ ନାହିଁ ।
11 ତୁମ୍ଭେ ବାହାରେ ଛିଡ଼ା ହୋଇ ରହିବ, ଆଉ ତୁମ୍ଭେ ଯାହାକୁ ଋଣ ଦେଇଅଛ, ସେ ବ୍ୟକ୍ତି ଆପଣା ବନ୍ଧକିଦ୍ରବ୍ୟ ବାହାର କରି ତୁମ୍ଭ ନିକଟକୁ ଆଣିବ ।
12 ପୁଣି ସେ ଯେବେ ଦୁଃଖୀ ଲୋକ ଥାଏ, ତେବେ ତୁମ୍ଭେ ତାହାର ବନ୍ଧକିଦ୍ରବ୍ୟ ଘେନି ନିଦ୍ରା ଯିବ ନାହିଁ ।
13 ସେ ଯେପରି ଆପଣା ବସ୍ତ୍ର ଘେନି ଶୟନ କରି ତୁମ୍ଭକୁ ଆଶୀର୍ବାଦ କରିବ, ଏଥିପାଇଁ ସୂର୍ଯ୍ୟାସ୍ତ ସମୟରେ ତାହାର ବନ୍ଧକିଦ୍ରବ୍ୟ ତାହାକୁ ଅବଶ୍ୟ ଫେରାଇ ଦେବ; ତହିଁରେ ତାହା ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ସାକ୍ଷାତରେ ତୁମ୍ଭ ପ୍ରତି ଧାର୍ମିକତା ହେବ ।
14 ତୁମ୍ଭ ଭାଇମାନଙ୍କ ମଧ୍ୟରୁ କେହି ହେଉ, କିଅବା ତୁମ୍ଭ ଦେଶସ୍ଥିତ ନଗରଦ୍ଵାରବର୍ତ୍ତୀ ତୁମ୍ଭ ବିଦେଶୀ ମଧ୍ୟରୁ କେହି ହେଉ, ଦୁଃଖୀ, ଦରିଦ୍ର ବର୍ତ୍ତନଜୀବୀ ପ୍ରତି ତୁମ୍ଭେ ଉପଦ୍ରବ କରିବ ନାହିଁ ।
15 ତାହାରି ଦିନରେ ତାହାକୁ ତାହାର ବର୍ତ୍ତନ ଦେବ; ସୂର୍ଯ୍ୟାସ୍ତ ଯାଏ ତାହା ରଖିବ ନାହିଁ; କାରଣ ସେ ଦୁଃଖୀ ଲୋକ, ତହିଁ ଉପରେ ତାହାର ମନ ଥାଏ; କେଜାଣି ସେ ତୁମ୍ଭ ବିରୁଦ୍ଧରେ ସଦାପ୍ରଭୁଙ୍କୁ ଡାକ ପକାଇବ, ତହିଁରେ ତୁମ୍ଭର ପାପ ହେବ ।
16 ସନ୍ତାନମାନଙ୍କ ପାଇଁ ପିତୃଗଣର ପ୍ରାଣଦଣ୍ତ ହେବ ନାହିଁ, କିଅବା ପିତୃଗଣ ପାଇଁ ସନ୍ତାନମାନଙ୍କର ପ୍ରାଣଦଣ୍ତ ହେବ ନାହିଁ; ପ୍ରତ୍ୟେକ ଲୋକ ନିଜ ପାପ ଲାଗି ପ୍ରାଣଦଣ୍ତ ଭୋଗ କରିବ ।
17 ତୁମ୍ଭେ ବିଦେଶୀର କି ପିତୃହୀନର ବିଚାରରେ ଅନ୍ୟାୟ କରିବ ନାହିଁ, କିଅବା ବିଧବାର ବସ୍ତ୍ର ବନ୍ଧକ ରଖିବ ନାହିଁ।
18 ମାତ୍ର ତୁମ୍ଭେ ଯେ ମିସରରେ ବନ୍ଧାଦାସ ଥିଲ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭକୁ ସେଠାରୁ ମୁକ୍ତ କରିଅଛନ୍ତି, ଏହା ସ୍ମରଣ କରିବ; ଏହେତୁ ଆମ୍ଭେ ତୁମ୍ଭକୁ ଏହି କର୍ମ କରିବା ପାଇଁ ଆଜ୍ଞା ଦେଉଅଛୁ ।
19 ତୁମ୍ଭେ ଆପଣା କ୍ଷେତ୍ରରେ ଶସ୍ୟ କାଟିବା ବେଳେ ଗୋଟିଏ ବିଡ଼ା କ୍ଷେତ୍ରରେ ପାସୋରି ଆସିଲେ, ତାହା ଆଣିବା ପାଇଁ ଫେରିଯିବ ନାହିଁ; ତାହା ବିଦେଶୀର, ପିତୃହୀନର ଓ ବିଧବାର ହେବ । ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିବେଣ ।
20 ତୁମ୍ଭେ ଆପଣା ଜୀତବୃକ୍ଷରୁ ଫଳ ପାରିଲା ଉତ୍ତାରେ ଆଉ ଥରେ ଡାଳକୁ ଯିବ ନାହିଁ; ତାହା ବିଦେଶୀର, ପିତୃହୀନର ଓ ବିଧବାର ହେବ ।
21 ତୁମ୍ଭେ ଆପଣା ଦ୍ରାକ୍ଷାକ୍ଷେତ୍ରରୁ ଦ୍ରାକ୍ଷାଫଳ ସଂଗ୍ରହ କଲା ଉତ୍ତାରେ ପୁନର୍ବାର ତାହା ସାଉଣ୍ଟିବ ନାହିଁ; ତାହା ବିଦେଶୀର, ପିତୃହୀନର ଓ ବିଧବାର ହେବ ।
22 ଆଉ ତୁମ୍ଭେ ମିସର ଦେଶରେ ବନ୍ଧାଦାସ ଥିଲ, ଏହା ସ୍ମରଣ କରିବ; ଏହେତୁ ଆମ୍ଭେ ତୁମ୍ଭକୁ ଏହି କର୍ମ କରିବା ପାଇଁ ଆଜ୍ଞା ଦେଉଅଛୁ ।
×

Alert

×