English Bible Languages

Indian Language Bible Word Collections

Bible Versions

English

Tamil

Hebrew

Greek

Malayalam

Hindi

Telugu

Kannada

Gujarati

Punjabi

Urdu

Bengali

Oriya

Marathi

Assamese

Books

Ezekiel Chapters

Ezekiel 1 Verses

1 ତିରିଶ ବର୍ଷର ଚତୁର୍ଥ ମାସର ପଞ୍ଚମ ଦିନରେ କବାର ନଦୀ କୂଳରେ ବନ୍ଦୀମାନଙ୍କ ମଧ୍ୟରେ ମୁଁ ଥିବା ସମୟରେ ସ୍ଵର୍ଗ ମୁକ୍ତ ହେଲା, ତହିଁରେ ମୁଁ ଈଶ୍ଵରୀୟ ଦର୍ଶନମାନ ପାଇଲି ।
2 ରାଜା ଯିହୋୟାଖୀନ୍ର ବନ୍ଦୀ ହେବାର ପଞ୍ଚମ ବର୍ଷର, ସେହି ମାସର ପଞ୍ଚମ ଦିନରେ,
3 କଲ୍ଦୀୟମାନଙ୍କ ଦେଶରେ କବାର ନଦୀ କୂଳରେ ବୂଷିର ପୁତ୍ର ଯିହିଜିକଲ ଯାଜକଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା; ପୁଣି, ସେହିଠାରେ ସଦାପ୍ରଭୁଙ୍କ ହସ୍ତ ତାଙ୍କ ଉପରେ ଥିଲା ।
4 ଅନନ୍ତର ମୁଁ ଦୃଷ୍ଟି କଲି, ଆଉ ଦେଖ, ଉତ୍ତର ଦିଗରୁ ଘୂର୍ଣ୍ଣି ବାୟୁ ବୃହତ ମେଘ ଓ ଜାଜ୍ଵଲ୍ୟମାନ ଅଗ୍ନି ଆସିଲା, ଆଉ ତାହାର ଚତୁର୍ଦ୍ଦିଗରେ ତେଜ ଓ ତହିଁରେ ମଧ୍ୟସ୍ଥାନରେ ଅଗ୍ନିର ମଧ୍ୟବର୍ତ୍ତୀ ଉତ୍ତପ୍ତ ଧାତୁର ନ୍ୟାୟ ପ୍ରଭା ଥିଲା ।
5 ପୁଣି, ତହିଁ ମଧ୍ୟରୁ ଜୀବିତ ଚାରି ପ୍ରାଣୀର ମୂର୍ତ୍ତି ପ୍ରକାଶ ପାଇଲା । ସେମାନଙ୍କର ଆକୃତି ଏହି ପ୍ରକାର, ଯଥା, ସେମାନଙ୍କ ରୂପ ମନୁଷ୍ୟ ପରି ।
6 ଆଉ, ପ୍ରତ୍ୟେକର ଚାରି ଚାରି ମୁଖ ଓ ପ୍ରତ୍ୟେକର ଚାରି ଚାରି ପକ୍ଷ ଥିଲା ।
7 ସେମାନଙ୍କର ପାଦ ସଳଖ, ଆଉ ସେମାନଙ୍କ ପାଦର ତଳିପା ଗୋବତ୍ସର ତଳିପାର ତୁଲ୍ୟ; ଆଉ, ସେମାନେ ପରିଷ୍କୃତ ପିତ୍ତଳ ପରି ଝଟକିଲେ ।
8 ଆଉ, ସେମାନଙ୍କ ଚତୁର୍ଦ୍ଦିଗସ୍ଥ ପକ୍ଷ ତଳେ ମନୁଷ୍ୟର ହସ୍ତ ତୁଲ୍ୟ ହସ୍ତ ଥିଲା; ପୁଣି, ସେହି ଚାରି ପ୍ରାଣୀର ମୁଖ ଓ ସେମାନଙ୍କର ପକ୍ଷ ଏହି ପ୍ରକାର ଥିଲା, ଯଥା;
9 ସେମାନଙ୍କର ପକ୍ଷ ଏକଆରେକର ସଂଯୁକ୍ତ; ସେମାନେ ଗମନ କରିବା ବେଳେ ଫେରିଲେ ନାହିଁ; ପ୍ରତ୍ୟେକେ ସମ୍ମୁଖ ଆଡ଼େ ଗମନ କଲେ ।
10 ସେମାନଙ୍କ ମୁଖର ଆକୃତି ଏହିରୂପ, ଯଥା ସେମାନଙ୍କର ଗୋଟିଏ ମନୁଷ୍ୟର ମୁଖ ଥିଲା; ଆଉ, ଦକ୍ଷିଣ ଦିଗରେ ଚାରି ପ୍ରାଣୀର ସିଂହ ମୁଖ ଓ ବାମ ଦିଗରେ ଚାରି ପ୍ରାଣୀର ଗୋରୁର ମୁଖ ଥିଲା; ସେହି ଚାରି ପ୍ରାଣୀର ମଧ୍ୟ ଉତ୍କ୍ରୋଶ ପକ୍ଷୀର ମୁଖ ଥିଲା ।
11 ପୁଣି, ଉପର ଭାଗରେ ସେମାନଙ୍କର ମୁଖ ଓ ପକ୍ଷ ବିଭିନ୍ନ ଥିଲା; ପ୍ରତ୍ୟେକର ଦୁଇ ଦୁଇ ପକ୍ଷ ଏକଆରେକର ସଂଯୁକ୍ତ ଥିଲା ଓ ଦୁଇ ଦୁଇ ପକ୍ଷ ସେମାନଙ୍କର ଶରୀର ଆଚ୍ଛାଦନ କଲା ।
12 ପୁଣି, ସେମାନେ ପ୍ରତ୍ୟେକେ ସମ୍ମୁଖଆଡ଼େ ଗମନ କଲେ; ଯେଉଁଆଡ଼େ ଯିବାକୁ ଆତ୍ମାର ଇଚ୍ଛା ହେଲା, ସେହିଆଡ଼େ ସେମାନେ ଗମନ କଲେ; ଗମନ କାଳରେ ସେମାନେ ଫେରିଲେ ନାହିଁ ।
13 ଏହି ଜୀବିତ ପ୍ରାଣୀମାନଙ୍କ ଆକୃତି ପ୍ରଜ୍ଵଳିତ ଅଙ୍ଗାର ଓ ମଶାଲ ସଦୃଶ ଥିଲା; ତାହା ଜୀବିତ ପ୍ରାଣୀ-ମାନଙ୍କ ମଧ୍ୟରେ ଗମନାଗମନ କଲା ଓ ସେହି ଅଗ୍ନି ତେଜୋମୟ ଓ ସେହି ଅଗ୍ନିରୁ ବିଦ୍ୟୁତ୍ ନିର୍ଗତ ହେଲା ।
14 ପୁଣି, ସେହି ଜୀବିତ ପ୍ରାଣୀଗଣ ବିଦ୍ୟୁତ୍ର ଆଭା ସଦୃଶ ଦୌଡ଼ିଲେ ଓ ଫେରିଲେ ।
15 ମୁଁ ସେହି ଜୀବିତ ପ୍ରାଣୀମାନଙ୍କୁ ଦର୍ଶନ କଲା ବେଳେ, ଦେଖ, ସେହି ଜୀବିତ ପ୍ରାଣୀମାନଙ୍କ ପାର୍ଶ୍ଵରେ ସେମାନଙ୍କ ଚାରି ମୁଖର ପ୍ରତ୍ୟେକର ପାଇଁ ଭୂମି ଉପରେ ଗୋଟିଏ ଗୋଟିଏ ଚକ୍ର ଥିଲା ।
16 ସେହି ଚାରି ଚକ୍ରର ଆକୃତି ଓ ରଚନା ବୈଦୁର୍ଯ୍ୟମଣିର ଆଭା ତୁଲ୍ୟ ଓ ଚାରିର ରୂପ ଏକ ପ୍ରକାର; ପୁଣି, ସେମାନଙ୍କର ଆକୃତି ଓ ରଚନା ଚକ୍ର ମଧ୍ୟରେ ଚକ୍ର ପରି ଥିଲା ।
17 ଗମନ କଲା ବେଳେ ସେହି ଚାରି ଚକ୍ର ଆପଣା ଆପଣାର ଚାରି ପାର୍ଶ୍ଵରେ ଗମନ କଲେ, ଗମନ କଲା ବେଳେ ସେମାନେ ଫେରିଲେ ନାହିଁ ।
18 ସେମାନଙ୍କର ଘେର ଉଚ୍ଚ ଓ ଭୟଙ୍କର; ପୁଣି, ସେମାନଙ୍କର ସେହି ଚାରି ଘେରର ଚତୁର୍ଦ୍ଦିଗ ଚକ୍ଷୁରେ ପରିପୂର୍ଣ୍ଣ ଥିଲା ।
19 ଆଉ, ସେହି ଜୀବିତ ପ୍ରାଣୀମାନେ ଗମନ କରିବା ବେଳେ ସେହି ଚକ୍ରସବୁ ସେମାନଙ୍କ ପାର୍ଶ୍ଵରେ ଚଳିଲେ; ପୁଣି, ଜୀବିତ ପ୍ରାଣୀମାନେ ଭୂମିରୁ ଉତ୍ଥାପିତ ହେବା ବେଳେ ଚକ୍ରସବୁ ହିଁ ଉତ୍ଥାପିତ ହେଲେ ।
20 ଯେକୌଣସି ସ୍ଥାନକୁ ଯିବାର ଆତ୍ମାର ଇଚ୍ଛା, ସେସ୍ଥାନକୁ ସେମାନେ ଗଲେ; ଗମନ କରିବାକୁ ଆତ୍ମାର ଇଚ୍ଛା ହେଲେ ସେମାନଙ୍କ ପାର୍ଶ୍ଵରେ ଚକ୍ରସବୁ ଉଠିଲେ; କାରଣ ଜୀବିତ ପ୍ରାଣୀର ଆତ୍ମା ଚକ୍ରରେ ଥିଲା ।
21 ସେମାନେ ଗମନ କଲା ବେଳେ ଏମାନେ ଗମନ କଲେ ଓ ସେମାନେ ଠିଆ ହେବା ବେଳେ ଏମାନେ ଠିଆ ହେଲେ; ଆଉ, ସେମାନେ ଭୂମିରୁ ଉତ୍ଥାପିତ ହେବା ବେଳେ ସେମାନଙ୍କ ପାର୍ଶ୍ଵରେ ଚକ୍ରସବୁ ଉତ୍ଥାପିତ ହେଲେ; କାରଣ ଜୀବିତ ପ୍ରାଣୀର ଆତ୍ମା ଚକ୍ରରେ ଥିଲା ।
22 ପୁଣି, ସେହି ଜୀବିତ ପ୍ରାଣୀର ମସ୍ତକ ଉପରେ ଶୂନ୍ୟର ଏକ ଆକୃତି ଥିଲା, ତାହା ଭୟଙ୍କର ସ୍ପଟିକ ତୁଲ୍ୟ ଆଭାବିଶିଷ୍ଟ ହୋଇ ସେମାନଙ୍କ ମସ୍ତକର ଊର୍ଦ୍ଧ୍ଵରେ ବିସ୍ତାରିତ ଥିଲା ।
23 ଆଉ, ସେହି ଶୂନ୍ୟର ତଳେ ସେମାନଙ୍କର ପକ୍ଷସବୁ ଏକଆରେକର ଆଡ଼େ ପ୍ରସାରିତ ହୋଇ ସମାନ ଥିଲା; ପ୍ରତ୍ୟେକର ଗାତ୍ର ଆଚ୍ଛାଦନ କରିବା ପାଇଁ ଏପାଖରେ ଦୁଇ ଓ ପ୍ରତ୍ୟେକର ଗାତ୍ର ଆଚ୍ଛାଦନ କରିବା ପାଇଁ ସେପାଖରେ ଦୁଇ ପକ୍ଷ ଥିଲା ।
24 ଆଉ, ସେମାନେ ଗମନ କରିବା ବେଳେ ମୁଁ ସେମାନଙ୍କ ପକ୍ଷର ଶଦ୍ଦ ଶୁଣିଲି, ତାହା ମହା ଜଳରାଶିର କଲ୍ଲୋଳ ତୁଲ୍ୟ, ସର୍ବଶକ୍ତିମାନଙ୍କର ରବ ତୁଲ୍ୟ, ସୈନ୍ୟଦଳର ଶଦ୍ଦ ତୁଲ୍ୟ କୋଳାହଳ ଶଦ୍ଦ; ସେମାନେ ଠିଆ ହେବା ବେଳେ ଆପଣା ଆପଣା ପକ୍ଷ ସଙ୍କୋଚ କଲେ ।
25 ପୁଣି, ସେମାନଙ୍କର ମସ୍ତକର ଉପରିସ୍ଥ ଶୂନ୍ୟର ଉପରେ ଏକ ରବ ହେଲା; ସେମାନେ ଠିଆ ହେବା ବେଳେ ଆପଣା ଆପଣା ପକ୍ଷ ସଙ୍କୋଚ କଲେ ।
26 ପୁଣି, ସେମାନଙ୍କ ମସ୍ତକର ଉପରିସ୍ଥ ଶୂନ୍ୟର ଊର୍ଦ୍ଧ୍ଵରେ ନୀଳକା; ମଣି ସଦୃଶ ଏକ ସିଂହାସନର ଆକୃତି ଥିଲା; ଆଉ, ସେହି ସିଂହାସନର ଆକୃତି ଉପରେ ମନୁଷ୍ୟ ସଦୃଶ୍ୟ ଏକ ଆକୃତି ତହିଁର ଊର୍ଦ୍ଧ୍ଵ ଭାଗରେ ଥିଲା ।
27 ଆଉ, ମୁଁ ତାହାଙ୍କ କଟିଦେଶର ଆକୃତି ଓ ତହିଁର ଊର୍ଦ୍ଧ୍ଵରୁ, ତହିଁର ଭିତରେ ଓ ଚତୁର୍ଦ୍ଦିଗରେ ଅଗ୍ନି ସଦୃଶ ଉତ୍ତପ୍ତ ଧାତୁର ଆଭା ତୁଲ୍ୟ ଆଭା ଦେଖିଲି ଓ ତାହାଙ୍କ କଟିଦେଶର ଆକୃତିଠାରୁ ତଳ ପର୍ଯ୍ୟନ୍ତ ଅଗ୍ନି ସଦୃଶ ଆଭା ଦେଖିଲି ଓ ତାହାଙ୍କ ଚତୁର୍ଦ୍ଦିଗରେ ତେଜ ଥିଲା ।
28 ବୃଷ୍ଟି ଦିନରେ ମେଘରେ ଧନୁର ଯେପରି ଆଭା, ସେପରି ସେହି ଚତୁର୍ଦ୍ଦିଗସ୍ଥ ତେଜ ଥିଲା । ଏହା ସଦାପ୍ରଭୁଙ୍କ ପ୍ରତାପର ମୂର୍ତ୍ତିର ଆଭା । ପୁଣି, ମୁଁ ତାହା ଦେଖି ମୁହଁ ମାଡ଼ି ପଡ଼ିଲି, ତହିଁରେ ମୁଁ ବାକ୍ୟବାଦୀ ଏକ ବ୍ୟକ୍ତିଙ୍କର ରବ ଶୁଣିଲି ।
×

Alert

×